ମୁଖ୍ୟ ସମାଚାର

ହଲ୍‌ରେ ବଢ଼ୁଛି ଅସାମାଜିକଙ୍କ ଉତ୍ପାତ: ସୁରକ୍ଷା କଡ଼ାକଡ଼ି ପାଇଁ ଡିସିପିଙ୍କ ନିର୍ଦେଶ

ହଲ୍‌ରେ ବଢ଼ୁଛି ଅସାମାଜିକଙ୍କ ଉତ୍ପାତ: ସୁରକ୍ଷା କଡ଼ାକଡ଼ି ପାଇଁ ଡିସିପିଙ୍କ ନିର୍ଦେଶ



ଭୁବନେଶ୍ବର: ଦିନକୁ ଦିନ ରାଜଧାନୀର ସିନେମା ହଲ୍‌ଗୁଡ଼ିକରେ ଅସାମାଜିକ ତତ୍ତ୍ବଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ସେମାନେ ଫିଲ୍ମ ଦେଖିବା ସମୟରେ ମହିଳା ଓ ଯୁବତୀଙ୍କ ଉଦ୍ଦେଶ୍ୟରେ ଅପଶବ୍ଦ ପ୍ରୟୋଗ କରୁଛନ୍ତି। ଅଯଥାରେ ହୋହଲ୍ଲା କରି ଅନ୍ୟମାନଙ୍କୁ ହଇରାଣ କରୁଛନ୍ତି। ଫଳରେ ଟଙ୍କା ଦେଇ ମନୋରଂଜନ କରିବାକୁ ଯାଉଥିବା ଲୋକ ତିକ୍ତ ଅନିଭୂତି ନେଇ ହଲ୍‌ରୁ ଫେରୁଛନ୍ତି। ଏପରିକି ହଲ୍‌ ସମ୍ମୁଖ ଓ ଆଖପାଖରେ ମଧ୍ୟ ସଂପୃକ୍ତ ଅସାମାଜିକ ଯୁବକମାନେ ମାଳମାଳ ହେଇ ବୁଲୁଥିବା ଦେଖାଯାଉଛି। ହଲ୍‌ଗୁଡ଼ିକ ଥାନାଠାରୁ ମାତ୍ର କେଇ ମିଟର ଦୂରରେ ଥିଲେ ମଧ୍ୟ ଅପରାଧୀମାନେ ପୁଲିସକୁ ଭୟ କରୁନାହାନ୍ତି। ସପ୍ତାହକ ମଧ୍ୟରେ ଦୁଇ ଦୁଇଟି ଆପରାଧିକ ଘଟଣା ଏହା ପ୍ରମାଣିତ କରୁଛି। ଗତ ୨୬ ତାରିଖରେ ମହାରାଜା ହଲ୍‌ରେ ଜଣେ ସାମ୍ବାଦିକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ସୋମବାର ରାତିରେ କେଶରୀ ହଲ୍‌ ସମ୍ମୁଖରେ ଜଣେ ଯୁବତୀଙ୍କୁ ବେଲ୍‌ଟରେ ମାଡ଼ ହୋଇଛି। ଫଳରେ ସିନେମା ହଲ୍‌ ଯିବା ପାଇଁ ଲୋକମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି। ହଲ୍‌ଗୁଡ଼ିକରେ ବାରମ୍ବାର ଏଭଳି ଘଟଣା ଘଟିବାରୁ କମିସନରେଟ୍‌ ପୁଲିସ ଏହାକୁ ଗୁରୁତ୍ୱର ସହ ନେଇଛି। ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛି। ଡିସିପି ଅନୁପ ସାହୁ କହିଛନ୍ତି, ହଲ୍‌ଗୁଡ଼ିକ ସମ୍ମୁଖରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଖୁବ୍‌ଶୀଘ୍ର ହଲ୍‌ ମାଲିକମାନଙ୍କୁ ଡକାଯାଇ ଏକ ବୈଠକ କରାଯିବ। ହଲ୍‌ ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କିଭଳି କଡ଼ାକଡ଼ି କରାଯିବ, ତାହା ଉପରେ ଆଲୋଚନା ହେବ। ବିଶେଷକରି ଘରୋଇ ସିୁକ୍ୟରିଟି ସଂସ୍ଥା ଓ ସିସିଟିଭି ଦ୍ବାରା ଅପରାଧୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବାକୁ ପ୍ରସ୍ତାବ ଦିଆଯିବ। ଅନ୍ୟପଟେ କେଶରୀ ହଲ୍‌ ସମ୍ମୁଖରେ ଯୁବତୀଙ୍କୁ ମାଡ଼ ମାରିବା ଘଟଣାରେ ଖାରବେଳନଗର ଥାନା ପୁଲିସ ଅଟକ ରଖିଥିବା ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ସେ ହେଲା ଖଣ୍ଡଗିରି ଡୁମୁଡୁମା ଅଞ୍ଚଳର ସୁଜନ ଦାସ(୨୨)। ପ୍ରକାଶଥାଉ କି, ସୋମବାର ବିଳମ୍ବିତ ରାତିରେ ଆଲିସା ସାହୁ ଓ ତାଙ୍କ ସାଙ୍ଗ କେଶରୀ ହଲ୍‌ରୁ ସିନେମା ଦେଖି ଫେରୁଥିଲେ। ସେମାନେ ଷ୍ଟାଣ୍ଡ୍‌ରୁ ସ୍କୁଟି ବାହାର କରୁଥିବା ବେଳେ ସୁଜନଙ୍କ ବାଇକ୍‌ର ଷ୍ଟାଣ୍ଡ ତାଙ୍କ ସ୍କୁଟିରେ ବାଜିଥିଲା। ଏହାକୁ ନେଇ ଯୁବତୀ ଓ ସୁଜନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସୁଜନ ରାଗିଯାଇ ଯୁବତୀଙ୍କୁ ବେଲ୍‌ଟରେ ପିଟିଥିଲା। ତେବେ ଗତକାଲି ଏହି ରିପୋର୍ଟରେ ଭୁଲ୍‌ କ୍ରମେ ଶ୍ରୀୟା ହଲ୍‌ ସମ୍ମୁଖରେ ଯୁବତୀଙ୍କୁ ମାଡ଼ ମରାଯାଇଥିବା ଖବର ପ୍ରକାଶ ପାଇଥିଲା।

Share this:

Post a Comment

 
Copyright © NEWS 24x7. Designed by iDream Management College Student