ମୁଖ୍ୟ ସମାଚାର

ଓଡ଼ିଶାର ୩ ସାହିତ୍ୟିକଙ୍କୁ ‌କେନ୍ଦ୍ର ସାହିତ୍ୟ ଅକାଦେମି ଭାଷା ସମ୍ମାନ

ଓଡ଼ିଶାର ୩ ସାହିତ୍ୟିକଙ୍କୁ ‌କେନ୍ଦ୍ର ସାହିତ୍ୟ ଅକାଦେମି ଭାଷା ସମ୍ମାନ



ନୂଆଦିଲ୍ଲୀ : ଓଡ଼ିଶାର ୩ ଜଣ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଗଗନେନ୍ଦ୍ର ନାଥ ଦାଶ, ହଳଧର ନାଗ ଓ ପ୍ରଫୁଲ ତ୍ରିପାଠୀଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମିର ମର୍ଯ୍ୟାଦାଜନକ ଭାଷା ସମ୍ମାନ ପୁରସ୍କାର ପ୍ରଦାନ କରାଯାଇଛି। ଆଜି ନୂଆଦିଲ୍ଲୀର ରବୀନ୍ଦ୍ର ଭବନ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଅକାଦେମିର ଅଧ୍ୟକ୍ଷ ଡ. ଚନ୍ଦ୍ରଶେଖର କମ୍ବାର ଓଡ଼ିଶାର ୩ ଜଣ ସାହିତ୍ୟିକଙ୍କ ସମେତ ମୋଟ୍‌ ୮ ଜଣଙ୍କୁ ଭାଷା ସମ୍ମାନ ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ିଶାର ହଳଧର ନାଗ ଓ ଡ. ପ୍ରଫୁଲ୍ଲ ତ୍ରିପାଠୀ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିବା‌ ବେଳେ ପ୍ରଫେସର ଗଗନେନ୍ଦ୍ର ନାଥ ଦାଶ ଅସୁସ୍ଥତା ଯୋଗୁଁ ପୁରସ୍କାର ନେବାପାଇଁ ଆସି ପାରିନଥିଲେ। ଗଗନେନ୍ଦ୍ରଙ୍କ ତରଫରୁ ତାଙ୍କ ପୁଅ ତପନ ଦାଶ ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ପ୍ରଶସ୍ତିପତ୍ର ଉପ‌ଢୌକନ ସହ ୧ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ ଗତ ଡିସେମ୍ବର ୫ ତାରିଖ‌ରେ ବିଶିଷ୍ଟ ଗବେଷକ ପ୍ରଫେସର ଗଗନେନ୍ଦ୍ର ନାଥ ଦାଶଙ୍କୁ ଶାସ୍ତ୍ରୀୟ ଓ ମଧ୍ୟଯୁଗୀୟ ସାହିତ୍ୟ ଶ୍ରେଣୀରେ ପୂର୍ବାଞ୍ଚଳ ଜୋନ୍‌ରୁ ସାହିତ୍ୟ ଏକାଡେମୀ ଭାଷା ସମ୍ମାନ ପୁରସ୍କାର ପାଇଁ ଚୟନ କରାଯାଇଥିବା ବେଳେ କେନ୍ଦ୍ର ସାହିତ୍ୟ ଅକାଦେମିର ଅଣମାନ୍ୟତାପ୍ରାପ୍ତ ଭାଷା ଶ୍ରେଣୀରେ କୋଶଳୀ- ସମ୍ବଲପୁରୀ ଭାଷା ସାହିତ୍ୟ ପାଇଁ ଯୌଥଭାବେ ପଦ୍ମଶ୍ରୀ ହଳଧର ନାଗ ଓ ଡ. ପ୍ରଫୁଲ କୁମାର ତ୍ରିପାଠୀଙ୍କୁ ଅକାଦେମି ଭାଷା ସମ୍ମାନ ପୁରସ୍କାର ପାଇଁ ଚୟନ କରାଯାଇଥିଲା। ଭାଷା ସମ୍ମାନ ପୁରସ୍କାର ଗ୍ରହଣ କରିବାପରେ ପଦ୍ମଶ୍ରୀ ହଳଧର ନାଗ ଓ ଡ. ପ୍ରଫୁଲ କୁମାର ତ୍ରିପାଠୀ ‘ସମ୍ବାଦ’କୁ ସେମାନଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ ଅପରିଚିତ ଭାଷାର ଶକ୍ତି ଓ ସମ୍ଭାବନାକୁ ସ୍ବୀକାର କରି ସ୍ବୃୀକୃତି ଦେବା ବାସ୍ତବରେ ସୁଖଦ ଅନୁଭୂତି।
କେନ୍ଦ୍ର ସାହିତ୍ୟ ଅକାଦେମି ଦ୍ବାରା ଆସନ୍ତାକାଲି ପ୍ରଖ୍ୟାତ ସାହିତ୍ୟ ସମାଲୋଚକ ଡ. ଦାଶରଥି ଦାସଙ୍କୁ ତାଙ୍କ ନିବନ୍ଧ ଗଳ୍ପ ପ୍ରସଙ୍ଗ ପୁରୁଣା ଭାବନା ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପ୍ରଦାନ କରାଯିବ।

Share this:

Post a Comment

 
Copyright © NEWS 24x7. Designed by iDream Management College Student